ଶ୍ରାବଣେ ଶ୍ରାବଣୀ ପ୍ରେମ ଋତୁରାଣୀ ଆଗମନ ଯେବେ ହୁଏ

ବାଦଲ ଫାଙ୍କରୁ ପ୍ରୀତିର ଛିଟାରେ

ତନୁ ମନକୁ ଭିଜାଏ ।।


ମତୁଆଲା କରେ ମାଦକତା ଭରି

ମନ୍ଦ ମନ୍ଦ ମଦିରାରେ

ଭିଜା ଶ୍ରାବଣଟା କନ୍ଦର୍ପ ସାଜିକି

ହୃଦେ ଶିହରଣ ଭରେ ।

ଟିପ୍ ଟିପ୍ ଟିପ୍ ବରଷା ଟୋପାରେ 

ପଞ୍ଚ ସାୟକକୁ ଖଞ୍ଜି

ନିକ୍ଷେପ କରଇ କୋମଳ ବପୁକୁ,

ତା' ପ୍ରେମରେ ଯାଏ ହଜି ।।


ପ୍ରେମିକ ଶ୍ରାବଣ ପ୍ରେମବାରି ସିଞ୍ଚି

ବିଭୋର କରେ ଧରାକୁ

ସଦ୍ୟସ୍ନାତା ଧରା ଧନ-ଧାନ୍ୟ ପୂର୍ଣ୍ଣେ ସଜାଏ ନିଜ ଦେହକୁ ।

ଶ୍ୟାମଳୀମା ଶୋଭା ସତେ ମନଲୋଭା,

ପୂର୍ଣ୍ଣଗର୍ଭା ନଇଁ ନାଳ

ସରୋବରେ ପ୍ରସ୍ଫୁଟିତ ସରସିଜ ଧବଳ-ନୀଳ ଉତ୍ପଳ ।।


କାଉଁଡ଼ିଆ ଦଳ ପଥେ ଭାରି ଭିଡ଼, ମହାଦେବ ନାମ ଜପି

ଧାରା ଶିରାବଣେ ଶୈବ ପ୍ରେମେ ମଜ୍ଜି ଚାଲୁଥା'ନ୍ତି ପାଦଥାପି ।

ବୋଲବମ୍ ନାରା ଗଗନ ପବନେ ଗୁଞ୍ଜରିତ ଶିବମୟ

ଆନନ୍ଦେ ଭିଜନ୍ତି, ଭଜନ୍ତି ଭକତ 

ତୁଣ୍ଡରେ 'ନମଃ ଶିବାୟ' ।।


ରୋହିତ ସେଠୀ, ଶିକ୍ଷକ

ଖଜୁରୀପଡ଼ା,କନ୍ଧମାଳ