ଭିଜା ଶ୍ରାବଣ - ରୋହିତ ସେଠୀ


ଶ୍ରାବଣେ ଶ୍ରାବଣୀ ପ୍ରେମ ଋତୁରାଣୀ ଆଗମନ ଯେବେ ହୁଏ

ବାଦଲ ଫାଙ୍କରୁ ପ୍ରୀତିର ଛିଟାରେ

ତନୁ ମନକୁ ଭିଜାଏ ।।


ମତୁଆଲା କରେ ମାଦକତା ଭରି

ମନ୍ଦ ମନ୍ଦ ମଦିରାରେ

ଭିଜା ଶ୍ରାବଣଟା କନ୍ଦର୍ପ ସାଜିକି

ହୃଦେ ଶିହରଣ ଭରେ ।

ଟିପ୍ ଟିପ୍ ଟିପ୍ ବରଷା ଟୋପାରେ 

ପଞ୍ଚ ସାୟକକୁ ଖଞ୍ଜି

ନିକ୍ଷେପ କରଇ କୋମଳ ବପୁକୁ,

ତା' ପ୍ରେମରେ ଯାଏ ହଜି ।।


ପ୍ରେମିକ ଶ୍ରାବଣ ପ୍ରେମବାରି ସିଞ୍ଚି

ବିଭୋର କରେ ଧରାକୁ

ସଦ୍ୟସ୍ନାତା ଧରା ଧନ-ଧାନ୍ୟ ପୂର୍ଣ୍ଣେ ସଜାଏ ନିଜ ଦେହକୁ ।

ଶ୍ୟାମଳୀମା ଶୋଭା ସତେ ମନଲୋଭା,

ପୂର୍ଣ୍ଣଗର୍ଭା ନଇଁ ନାଳ

ସରୋବରେ ପ୍ରସ୍ଫୁଟିତ ସରସିଜ ଧବଳ-ନୀଳ ଉତ୍ପଳ ।।


କାଉଁଡ଼ିଆ ଦଳ ପଥେ ଭାରି ଭିଡ଼, ମହାଦେବ ନାମ ଜପି

ଧାରା ଶିରାବଣେ ଶୈବ ପ୍ରେମେ ମଜ୍ଜି ଚାଲୁଥା'ନ୍ତି ପାଦଥାପି ।

ବୋଲବମ୍ ନାରା ଗଗନ ପବନେ ଗୁଞ୍ଜରିତ ଶିବମୟ

ଆନନ୍ଦେ ଭିଜନ୍ତି, ଭଜନ୍ତି ଭକତ 

ତୁଣ୍ଡରେ 'ନମଃ ଶିବାୟ' ।।


ରୋହିତ ସେଠୀ, ଶିକ୍ଷକ

ଖଜୁରୀପଡ଼ା,କନ୍ଧମାଳ

Post a Comment

0 Comments